Unknown

 

 

 

 

 

 

 

 

 

ବାଳ ରାମାୟଣ

ଭକ୍ତକବି ମଧୁସୂଦନ ରାଓ

 

ବାଳକାଣ୍ଡ

ପ୍ରଥମ ଅଧ୍ୟାୟ

 

ସରଯୂ ନଦୀର କୂଳେ ଅଯୋଧ୍ୟା ନଗର

 

 

ସୂର୍ଯ୍ୟବଂଶ ରାଜଧାନୀ ଅତି ମନୋହର ।

ଇନ୍ଦ୍ରର ଅମରାବତୀ ପ୍ରାୟେ ସେ ନଗରୀ

 

 

ତୋଳାଇଲେ ମନୁ ରାଜା ନିଜେ ଇନ୍ଦ୍ର ସରି ।

ଚାରିଆଡ଼େ ଗଡ଼ଖାଇ ପରିପୂର୍ଣ୍ଣ ଜଳେ

 

 

ଅଯୋଧ୍ୟା ସମାନ ଦୁର୍ଗ କାହିଁ ଭୂମଣ୍ଡଳେ ?

ବଡ଼ ବଡ଼ ରାଜଦାଣ୍ଡ ଚୌଦିଗେ ଶୋଭିତ

 

 

ବିକାକିଣା ଚହଳରେ ସର୍ବଦା ପୂରିତ ।

କେତେଆଡ଼େ କେତେ ଉପବନ କେତେ ତୋଟା

 

 

ଅସ୍ତ୍ରଶସ୍ତ୍ର-ଗୃହ ପୁଣି ବଡ଼ ବଡ଼ କୋଠା ।

କେତେ କେତେ ଦେବାଳୟ କେତେ ପାଠଶାଳା

 

 

ସୁବର୍ଣ୍ଣମଣ୍ତିତ ରାଜ-ପ୍ରାସାଦର ମାଳା ।

ବିବିଧ ବର୍ଣ୍ଣର ବାନା ଉଡ଼େ ଶତ ଶତ

 

 

ରଥ ଅଶ୍ୱ ଗଜେ ସଦା ପରିପୂର୍ଣ୍ଣ ପଥ ।

ବେଣୁ ବୀଣା କରତାଳ ମୃଦଙ୍ଗ ମାଦଳ-

 

 

ଶବଦେ ଉତ୍ସବମୟ ଗୃହ ସପ୍ତତଳ ।

ଧର୍ମସଭା ରାଜସଭା ମଣ୍ଡପେ ମଣ୍ଡିତ

 

 

ଧନଧାନ୍ୟେ ପରିପୂର୍ଣ୍ଣ ପୁରୀ ବିରାଜିତ

ଧାର୍ମିକ ସୁଜନ ସର୍ବେ ପୁରବାସୀ ଜନେ

 

 

ସାଧୁ ସାଧ୍ୱୀ ନରନାରୀ ଅଯୋଧ୍ୟା ଭୁବନେ ।

ସତ୍ୟବାଦୀ ଜିତେନ୍ଦ୍ରିୟ ପର ଉପକାରୀ

 

 

କର୍ତ୍ତବ୍ୟପାଳନେ ରତ ସଦା ଶୁଦ୍ଧାଚାରୀ ।

ଦେବଭକ୍ତ ରାଜଭକ୍ତ ଧର୍ମପରାୟଣ

 

 

ଧନ୍ୟଧାନ୍ୟବନ୍ତ ସୁଖୀ ଥିଲେ ସର୍ବଜନ

ବୀରବୃନ୍ଦେ ପୂର୍ଣ୍ଣ ଥିଲା ଅଯୋଧ୍ୟା ନଗର,

 

 

ସିଂହଗଣେ ପୂର୍ଣ୍ଣ ଯଥା ନଗେନ୍ଦ୍ର କନ୍ଦର ।

ପୂର୍ବେ ତହିଁ ଥିଲେ ରାଜା ଇକ୍ଷ୍ୱାକୁ ନୃପତି

 

 

ସୂର୍ଯ୍ୟପ୍ରାୟେ ତେଜାବନ୍ତ ଜ୍ଞାନେ ବୃହସ୍ପତ୍ତି ।

ତାଙ୍କ କୁଳେ ଜନମିଲେ ରଘୁ ବୀରମଣି

 

 

ଭୁଜବଳେ ଜିଣିଲେ ସେ ନିଖିଳ ଧରଣୀ ।

ଅଜ ନାମେ ମହୀପତି ରଘୁଙ୍କ କୁମର

 

 

ଅରଜିଲେ ମହାଯଶ ଜଗତ ମଧ୍ୟର ।

ଅଜପୁତ୍ର ସୁବିଖ୍ୟାତ ରାଜା ଦଶରଥ

 

 

ପ୍ରଜାହିତେ ରତ ସଦା ଧରି ଧର୍ମପଥ ।

ପ୍ରତାପେ ତପନସମ ନାଶି ଶତ୍ରୁଗଣ

 

 

ସସାଗରା ବସୁନ୍ଧରା ଜିଣିଲେ ରାଜନ ।

ତାହାଙ୍କର ଥିଲେ ତିନି ରାଣୀ ସାଧ୍ୱୀ ସତୀ

 

 

ପରମା ସୁନ୍ଦରୀ ସର୍ବେ ନାନା ଗୁଣବତୀ ।

କୌଶଲ୍ୟା ଯେ ବଡ଼ ରାଣୀ ମହାପୁଣ୍ୟମୟୀ,

 

 

ତାଙ୍କ ତଳେ ଦୁଇ ରାଣୀ ସୁମିତ୍ରା କୈକେୟୀ ।

ଅପୁତ୍ରିକ ଥିଲେ ରାଜା ବହୁକାଳଯାଏ

 

 

ତେଣୁ ଭାଳୁଥିଲେ ନିତି କେମନ୍ତ ଉପାୟେ ।

ଲଭିବି ମୁଁ ପୁତ୍ରରତ୍ନ, ଯିବ ମୋର ଦୁଃଖ,

 

 

ଆନନ୍ଦେ ଦେଖିବି କେବେ ତନୟର ମୁଖ ।

ସତେ କି ରଘୁର କୁଳ ରହିବ ଜଗତେ

 

 

ପୂରାଇବେ ବିହି ଆହା ମୋର ମନୋରଥେ ।

ବଶିଷ୍ଠ ନାମରେ ଋଷି ରାଜପୁରୋହିତ

 

 

ରାଜାଙ୍କର ମନ ଦୁଃଖ ବୁଝିଣ ତୁରିତ ।

ବୋଇଲେ, ‘‘କର ହେ ନୃପ ଯଜ୍ଞ ଆୟୋଜନ

 

 

ରାଣୀଙ୍କ ସଙ୍ଗତେ କର ଧର୍ମ ଆଚରଣ ।’’

ତେଣୁ ଆରମ୍ଭିଲେ ଯଜ୍ଞ ଅଜଙ୍କ ନନ୍ଦନ

 

 

ନିମନ୍ତ୍ରିଣ ଗୁରୁ ପୁରୋହିତ ଋଷିଗଣ ।

ଯଥାକାଳେ ତିନି ରାଣୀ ହେଲେ ଗର୍ଭବତୀ

 

 

ତାହା ଜାଣି ଦଶରଥ ହରଷିତ ଅତି ।

କୌଶଲ୍ୟା ଗର୍ଭରୁ ଜାତ ଦୂର୍ବାଦଳଶ୍ୟାମ

 

 

ଜ୍ୟେଷ୍ଠ ପୁତ୍ର ତେଜୋମୟ ସର୍ବଗୁଣଧାମ

ଅଭିରାମ ଦେହକାନ୍ତି ଦେଖି ତନୟର

 

 

ରାମ ନାମ ଦେଲେ ତାଙ୍କୁ ଆନନ୍ଦେ ପିଅର ।

ଯେଉଁ ରାମ ନାମ ଆହା ଲୋକେ ଘରେ ଘରେ

 

 

ଆଜିଯାଏ ଗାଉଛନ୍ତି ମହା ଆନନ୍ଦରେ ।

ତାଙ୍କ ତଳେ ଜମିଗଲେ କୈକେୟୀ ନନ୍ଦନ

 

 

ଭରତ ନାମରେ ଖ୍ୟାତ ଧର୍ମପରାୟଣ ।

ସୁମିତ୍ରା ଉଦରୁ ଜାତ ହେଲେ ବେନି ବୀର

 

 

ଲକ୍ଷ୍ମଣ ଶତ୍ରୁଘ୍ନ ଦୁହେଁ ସୁମତି ସୁଧୀର ।

ଦିନୁଦିନ ଶୁକ୍ଳପକ୍ଷ-ଚନ୍ଦ୍ରମା ଯେସନ

 

 

ରୂପେ ଗୁଣେ ଚାରି ପୁତ୍ର ବଢ଼ିଲେ ତେସନ ।

ଶିଖିଲେ ସହଜେ ସର୍ବେ ଅଳପ ବୟସେ

 

 

ଶସ୍ତ୍ରବିଦ୍ୟା ଶାସ୍ତ୍ରବିଦ୍ୟା ପରମ ହରଷେ ।

ମହାତେଜୋବନ୍ତ ବୀର ସର୍ବଗୁଣାକର

 

 

ହେଲେ ଦଶରଥଙ୍କର ସେ ଚାରି କୁମର ।

ଚାରି ଭାଇ ପରସ୍ପରେ ସ୍ନେହୀ ଅନୁକ୍ଷଣ,

 

 

ସର୍ବଗୁଣେ ଶ୍ରେଷ୍ଠ ହେଲେ କୌଶଲ୍ୟାନନ୍ଦନ ।

ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ରାମଜନ୍ମ’

ନାମ ପ୍ରଥମ ଅଧ୍ୟାୟ ।

Image

 

ଦ୍ୱିତୀୟ ଅଧ୍ୟାୟ

 

ଏଥୁଅନ୍ତେ ଦିନକରେ କୁଶିକନନ୍ଦନ

 

 

ମହାମୁନି ବିଶ୍ୱାମିତ୍ର ଧର୍ମପରାୟଣ ।

ବହନ ମିଳିଲେ ଦଶରଥ ରାଜଦ୍ୱାରେ

 

 

ପୂଜିଲେ ତାହାଙ୍କୁ ରାଜା ଭକ୍ତି ଉପଚାରେ ।

ପୁଚ୍ଛିଣ କୁଶଳ ବାର୍ତ୍ତା ବୋଇଲେ କୌଶିକ,

 

 

‘‘ମାଗୁଣି ତୁମ୍ଭରିଠାରେ ଅଛି ମୋର ଏକ ।

ଯାଗ ଅନୁଷ୍ଠାନେ ମୁହିଁ ହୋଇଅଛି ବ୍ରତୀ,

 

 

ଯଜ୍ଞ ବିଘ୍ନ କରୁଛନ୍ତି ରାକ୍ଷସ ଦୁର୍ମତି ।

ମାରୀଚ ସୁବାହୁ ନାମେ ଦୁଷ୍ଟ ନିଶାଚରେ

 

 

ରକ୍ତ ମାଂସ ଫିଙ୍ଗି ନଷ୍ଟ କରନ୍ତି ଅଧ୍ୱରେ ।

ରାକ୍ଷସ ବିନାଶ ପାଇଁ ଶ୍ରୀରାମ ଲକ୍ଷ୍ମଣେ

 

 

ଦିଅ ମୋତେ ମହାରାଜ ସୁପ୍ରସନ୍ନମନେ ।’’

ମୁନିଙ୍କ ପ୍ରାର୍ଥନା ଶୁଣି ଦଶରଥ କ୍ଷଣେ

 

 

ହୋଇଲେ ଆକୁଳ ଯେହ୍ନେ ସମୁଦ୍ର ପବନେ ।

ପୁଣି ଧୈର୍ଯ୍ୟ ଧରି ନରପତି ପରକ୍ଷଣେ

 

 

ଅର୍ପିଲେ ମୁନିଙ୍କ ହସ୍ତେ ଯୁଗଳ ନନ୍ଦନେ ।

 

 

 

 

ପିତାମାତାଙ୍କର ପାଦ ବନ୍ଦି ଭକ୍ତିଭରେ

 

 

ବାହାରିଲେ ଦୁଇ ଭାଇ ଧନୁ ଧରି କରେ ।

ପୁଣ୍ୟ ଯଶ ଲଭ ଦୁହେଁ ବୀର ପୁତ୍ରମଣି

 

 

ବୋଲିଣ ଆଶିଷ କଲେ ଜନକ-ଜନନୀ ।

ନୃପଙ୍କୁ ସମ୍ଭାଷି ଘେନି ଶ୍ରୀରାମ ଲକ୍ଷ୍ମଣେ

 

 

ଚଳିଲେ କୁଶିକସୁତ ଆନନ୍ଦିତ ମନେ ।

ଆଗେ ଆଗେ ବିଶ୍ୱାମିତ୍ର କରନ୍ତି ଗମନ,

 

 

ତହିଁ ପଛେ ରାମଚନ୍ଦ୍ର ରାଜୀବଲୋଚନ ।

ତା ପଛେ ଲକ୍ଷ୍ମଣ ଧନୁ ଖଡ଼୍‌ଗ ଧରି କରେ,

 

 

ଯାଉଛନ୍ତି ବେନି ଭାଇ ପ୍ରଫୁଲ୍ଲ ଅନ୍ତରେ ।

ଅର୍ଦ୍ଧ-ଯୂଣ ପଥ ଯାଇ ସରଯୂର ତୀରେ

 

 

ପହଞ୍ଚିଲେ ବିଶ୍ୱାମିତ୍ର ସଙ୍ଗେ ବାଳବୀରେ ।

ରାମ-ଲକ୍ଷ୍ମଣଙ୍କୁ ସ୍ନେହେ ରାଇ ମୁନିବର

 

 

ବୋଲନ୍ତି ଏ ପୁଣ୍ୟ ଜଳେ ଆଚମନ କର ।

ଆସିଲାଣି ସାୟଂକାଳ ସନ୍ଧ୍ୟା ଜପ କରି

 

 

ଆନନ୍ଦେ ଏଠାରେ ଆଜି ଯାପ ହେ ଶର୍ବରୀ ।

ଆନନ୍ଦିତ ମୁନିଙ୍କର ସ୍ନେହ-ସମ୍ଭାଷଣେ

 

 

ଯାପିଲେ ରଜନୀ ଦୁହେଁ ତୃଣର ଶୟନେ ।

ପାହିଲା ଶର୍ବରୀ ଯହୁଁ, ମହାମୁନିଙ୍କର

 

 

ଆଦେଶେ ସରଯୂନୀରେ ବେନି ବୀରବର ।

ସ୍ନାନ ସାରି ଜପ କରି ସୁପବିତ୍ର ମନେ,

 

 

ପ୍ରଣମିଲେ ଭକ୍ତିଭରେ ମୁନିଙ୍କ ଚଣଣେ ।

ତହୁଁ ଯାତ୍ରା କରି ଦୁହେଁ ମୁନି ସଙ୍ଗତରେ,

 

 

ସାୟଂକାଳେ ମିଳିଲେ ସେ ଏକ ଆଶ୍ରମରେ ।

ଗଙ୍ଗା-ସରଯୂର ଯହିଁ ପବିତ୍ର ସଙ୍ଗମ,

 

 

ସେହି ସ୍ଥଳେ ବିରାଜିତ ସୁନ୍ଦର ଆଶ୍ରମ ।

ବହୁ ପୁଣ୍ୟବନ୍ତ ଋଷି ସେ ପୁଣ୍ୟ ଆଶ୍ରମେ,

 

 

ଦେଖିଲେ ସେ ବେନିଭାଇ ଆନନ୍ଦିତ ମନେ ।

ଋଷିଗଣ ବିଶ୍ୱାମିତ୍ରେ ବେନି ବାଳବୀରେ,

 

 

ଅତିଥିସତ୍କାର କଲେ ଉଚିତ ବିଧିରେ ।

ନିର୍ମଳ ପ୍ରଭାତକାଳେ ନିତ୍ୟକର୍ମ ସାରି,

 

 

କୌଶିକ ସଙ୍ଗତେ ଦୁହେଁ ଆଶ୍ରମୁ ବାହାରି ।

ଆଶ୍ରମର ମୁନିଗଣେ ବନ୍ଦି ଭକ୍ତିଭରେ,

 

 

ପହଞ୍ଚିଲେ କିଛିକ୍ଷଣେ ନଦୀର ତଟରେ ।

ସେହିଠାରେ ନାବେ ପାରିହେଲେ ସସମ୍ଭ୍ରମେ,

 

 

ସାଗରଗାମିନୀ ଗଙ୍ଗା-ସରଯୂ ସଙ୍ଗମେ ।

ସେ ସଙ୍ଗମ ପାରିହେଲାବେଳେ ବିଶ୍ୱାମିତ୍ର

 

 

ବୋଇଲେ ଦେଖ ହେ ନଦୀ-ସଙ୍ଗମ ପବିତ୍ର ।

କୈଳାସ ପର୍ବତେ ଅଛି ମହାସରୋବର

 

 

‘ମାନସ’ ନାମରେ ଖ୍ୟାତ ନିର୍ମଳ ସୁନ୍ଦର ।

ସରଯୂ ସେ ସରୋବରୁ ଆସୁଅଛି ବହି,

 

 

ଏହିଠାରେ ଭାଗୀରଥୀ ସଙ୍ଗତେ ମିଳଇ ।

ଦୁଇ ନଦୀ ମିଳନେ କି ନିନାଦ ଗମ୍ଭୀର

 

 

ଉଠୁଅଛି ଶୁଣ ଶୁଣ ହେ ରଘୁପ୍ରବର ।

ଏହିପରି କେତେ ନଦୀ ପର୍ବତ କାନନ

 

 

ଦେଖାଇଣ ବିଶ୍ୱାମିତ୍ର ମହାତପୋଧନ ।

କେତେ ଇତିହାସ କଥା ବଖାଣିଲେ ମୁନି,

 

 

ମହାସୁଖୀ ହେଲେ ଦୁଇ ଭାଇ ତାହା ଶୁଣି ।

ଏଥୁଅନ୍ତେ ପ୍ରବେଶିଲେ ଏକ ଘୋର ବନେ

 

 

ପରିପୂର୍ଣ୍ଣ ସିଂହ ବ୍ୟାଘ୍ର ଆଦି ପଶୁଗଣେ ।

ବୋଲନ୍ତି କୌଶିକ ମୁନି, ‘‘ଏ ବନ ଭିତରେ

 

 

ଅଛଇ ରାକ୍ଷସୀ ଏକ ତାଡ଼କା ନାମରେ ।

ମହାଭୟଙ୍କରୀ ସେହି,ଉପଦ୍ରବେ ତାର

 

 

ଏ ସମସ୍ତ ଦେଶ ଆହା ହେଲା ଛାରଖାର ।

ନରମାଂସ ଖାଏ ସେହି ନବବୃନ୍ଦେ ବଧି,

 

 

ନାହିଁ ସେ ଦୁଷ୍ଟାର ପାପକର୍ମର ଅବଧି ।

ରହ ସାବଧାନ, ଗୁଣ ଚଢ଼ାଇ ଧନୁରେ,

 

 

ବୁଲୁଥିବ ସେ ପାମରୀ ରାକ୍ଷସୀ ଅଦୂରେ ।

ନାଶି ପାମରୀର ପ୍ରାର ହର ମହୀଭାର,

 

 

ଅଧର୍ମ ନୁହଇ କେଭେ ଦୁଷ୍ଟାର ସଂହାର ।’’

ଏହା ଶୁଣି କଲେ ରାମ କୋଦଣ୍ଡ ଟଙ୍କାର,

 

 

ସେ ମହାଶବଦେ ପୂରିଗଲା ସେ କାନ୍ତାର ।

ସେ ଟଙ୍କାର ଶବ୍ଦ ଶୁଣି ହୁହୁଙ୍କାର କରି

 

 

ମହାରୋଷେ ଆସେ ଧାଇଁ ତାଡ଼କା ପାମରୀ ।

ବିକଟ କାଳିକା ରୂପ ବିକଟ ବଦନ,

 

 

ନରମୁଣ୍ଡାମାଳା ଗଳେ ଦିଶଇ ଭୀଷଣ ।

ବିକଟାଳ ପାଟି ମେଲି ଗର୍ଜି କ୍ରୋଧଭରେ

 

 

ଶ୍ରୀରାମ ଆଡ଼କୁ ଧାଇଁଆସିଲା ବେଗରେ ।

ତୀକ୍ଷ୍‌ଣ ବାଣ ବିନ୍ଧିଲେ ଶ୍ରୀରାମ ବୀରବର

 

 

ତାଡ଼କା ପାଷଣ ଛାତି ଭେଦିଲା ସେ ଶର ।

ରକ୍ତ ବାନ୍ତି କରି ପୁଣି ଭୂମିତଳେ ପଡ଼ି

 

 

ତାଡ଼କା ରାକ୍ଷସୀ ମଲା ଛାଡ଼ି ଘୋର ରଡ଼ି

ବିଶ୍ୱାମିତ୍ର ମୁନିବର ତାଡ଼କାନିଧନେ

 

 

ତୁଷ୍ଟ ହୋଇ ଆଲିଙ୍ଗିଲେ କୌଶଲ୍ୟାନନ୍ଦନେ ।

ପ୍ରସନ୍ନମନରେ ନାନା ଦିବ୍ୟ ଅସ୍ତ୍ରମାନ,

 

 

ଶ୍ରୀରାଙ୍କୁ ମନ୍ତ୍ର ସହ କରିଲେ ପ୍ରଦାନ ।

ପ୍ରୟୋଗ ସଂହାର ମନ୍ତ୍ର ଅସ୍ତ୍ରମାନଙ୍କର

 

 

ରାମଚନ୍ଦ୍ରେ ଶିଖାଇଲେ ମହାମୁନିବର ।

 

 

ମୁନିପଦେ ଭକ୍ତିଭରେ କରିଣ ପ୍ରଣାମ

 

 

ସେ ପବିତ୍ର ଗୁପ୍ତମନ୍ତ୍ର ଶିଖିଲେ ଶ୍ରୀରାମ ।

ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ତାଡ଼କାବଧ’

ନାମ ଦ୍ୱିତୀୟ ଅଧ୍ୟାୟ ।

Image

 

ତୃତୀୟ ଅଧ୍ୟାୟ

 

ଅବଶେଷ ବିଶ୍ୱାମିତ୍ର ନିଜ ତପୋବନେ

 

 

ଉପନୀତ ହେଲେ ଘେନି ଶ୍ରୀରାମ-ଲକ୍ଷ୍ମଣେ ।

ସିଦ୍ଧାଶ୍ରମ ନାମେ ତାଙ୍କ ଆଶ୍ରମ ବିଦିତ

 

 

ମୃଗଗଣେ ପରିପୂର୍ଣ୍ଣ ପାଦପେ ଶୋଭିତ ।

ଯଜ୍ଞ ଆରମ୍ଭିଲେ ମୁନି ଶ୍ରୀରାମ ଲକ୍ଷ୍ମଣ

 

 

ଦିବାନିଶି ଧନୁ ଧରି ଜାଗି ଅନୁକ୍ଷଣ ।

ରକ୍ଷାକଲେ ସିଦ୍ଧାଶ୍ରମେ ହୋଇ ସାବଧାନ,

 

 

ନିର୍ବିଘ୍ନେ ପଞ୍ଚମ ଦିନ ହେଲା ଅବସାନ ।

ଷଷ୍ଠ ଦିନେ ଆଚମ୍ବିତେ ଯଜ୍ଞବେଦିପରେ

 

 

ପଡ଼ନ୍ତେ ରୁଧିରବିନ୍ଦୁ, ରାମ ରୋଷଭରେ ।

ଅନାଇଲେ ଆକାଶକୁ, ଦେଖିଲେ ବିସ୍ମୟେ

 

 

ପୂରିତ ଆକାଶଦେଶ ରାକ୍ଷସନିଚୟେ ।

ତାଡ଼କା ରାକ୍ଷସୀ ସୁତ ମାରୀଚ ସୁବାହୁ

 

 

ଉଭୟଙ୍କୁ ଳକ୍ଷ୍ୟକରି ରାମ ମହାବାହୁ ।

ମହାବେଗେ ପ୍ରହାରିଲେ ମହାତୀକ୍ଷ୍‌ଣ ଶର,

 

 

ସେ ଶରଶବଦେ ସ୍ତବ୍‌ଧ ହେଲା ଚରାଚର ।

 

 

ଏକ ଶରେ ମୂର୍ଚ୍ଛା ଯାଇ ମାରୀଚ ଅସୁର

 

 

ପଡ଼ିଲା ଜଳରେ ଉଡ଼ିଯାଇ ବହୁ ଦୂର ।

ଆକାଶରେ ସୁବାହୁର ହେଲା ପ୍ରାଣନାଶ,

 

 

ରାକ୍ଷସେ ପଳାଇଗଲେ ପାଇ ଘୋର ତ୍ରାସ ।

ଏସନେ ରାକ୍ଷସସୈନ୍ୟ ଯଜ୍ଞବିଘ୍ନକାରୀ

 

 

ନାଶିଲେ ଶ୍ରୀରାମ ବୀର ଦୁଷ୍ଟଦର୍ପହାରୀ ।

ନିଷ୍କଣ୍ଟଙ୍କ ହେଲା ମହୀ, ବିଘ୍ନ ଦୂରୀଭୂତ,

 

 

ବିଶ୍ୱାମିତ୍ର ସମାପିଲେ ଯଜ୍ଞ ଅଦଭୁତ ।

ଯଜ୍ଞ ଶେଷଯାଏ ମୁନି ଥିଲେ ମୌନବ୍ରତୀ,

 

 

ଯଜ୍ଞ ଅନ୍ତେ ହୋଇଲେ ସେ ଆନନ୍ଦିତ ଅତି ।

ଶ୍ରୀରାମ-ଲକ୍ଷ୍ମଣଙ୍କର ମହାବୀରପଣ

 

 

ପ୍ରଶଂସିଲେ ପ୍ରସନ୍ନାତ୍ମା କୁଶିକନନ୍ଦନ ।

ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ବିଶ୍ୱାମିତ୍ରଯଜ୍ଞ’

ନାମ ତୃତୀୟ ଅଧ୍ୟାୟ ।

Image

 

ଚତୁର୍ଥ ଅଧ୍ୟାୟ

 

ଏଥୁଅନ୍ତେ ବିଶ୍ୱାମିତ୍ର ବୋଲନ୍ତି ବଚନ,

 

 

‘‘ଶୁଣ ହେ ବିଚିତ୍ର କଥା ଶ୍ରୀରାମ-ଲକ୍ଷ୍ମଣ !

ମିଥିଳାର ଅଧିପତି ଜନକ ରାଜନ

 

 

ପୁଣ୍ୟଶୀଳ ମହାଜ୍ଞାନୀ ମହାତ୍ମା ସୁଜନ ।

ମହାତେଜା ରାଜା ସେହି ପୁଣି ମହାଋଷି,

 

 

ଭୁବନେ ବୋଲାନ୍ତି ତେଣୁ ଜନକ ରାଜର୍ଷି ।

ଆରମ୍ଭି ଅଛନ୍ତି ଯଜ୍ଞ ସେହି ନୃପବର,

 

 

ଦେଖିବା ସେ ଯଜ୍ଞ ଚାଲ ମିଥିଳା ନଗର ।

ସୀତା ନାମେ ତାହାଙ୍କର ଅଛନ୍ତି ନନ୍ଦିନୀ,

 

 

ରୂପେ ଗୁଣେ ନିରୁପମା ଭୁବନମୋହିନୀ ।

ପ୍ରଫୁଲ୍ଲ କମଳ ଜିଣି ସୁନ୍ଦର ବଦନ,

 

 

ନୀଳ କଇଁ ଜିଣି ଆହା ସୁନ୍ଦର ନୟନ ।

ସୁବର୍ଣ୍ଣର ବର୍ଣ୍ଣ ଜିଣି କାନ୍ତି ଶ୍ରୀଅଙ୍ଗର,

 

 

ଏ ଭୁବନେ ସେ ରୂପର କାହିଁ ପଟାନ୍ତର ?

ସର୍ବଗୁଣେ ଗଣବତୀ ଜନକତନୟା,

 

 

ସରଳା ସୁଶୀଳ ସୀତା ମୁର୍ତ୍ତିମତୀ ଦୟା ।

 

 

 

 

ମିଥିଳାର ଅଧିପତି ଜନକ ରାଜନ

 

 

ସୀତାଙ୍କ ବିବାହ ଲାଗି କରିଛନ୍ତି ପଣ ।

‘ବିଶାଳ ଯେ ହରଧନୁ ଅଛି ମୋ ନବରେ,

 

 

ସେ ଧନୁ ଭାଙ୍ଗିବ ଯେହୁ ସେହି ବୀରବରେ ।

ଜାନକୀଙ୍କୁ ଆନନ୍ଦରେ କରିବି ଅର୍ପଣ’

 

 

ଏ ବାରତା ବ୍ୟାପିଗଲା ନିଖିଳ ଭୁବନ ।

ଆସିଲେ ଚୌଦିଗୁଁ କେତେ କେତେ ନରପାଳ,

 

 

କେହି ନ ପାରିଲ ଭାଙ୍ଗି ସେ ଧନୁ ବିଶାଳ ।

ଚାଲ ଚାଲ ମିଥିଳାକୁ ଆନନ୍ଦିତ ମନେ,

 

 

ହରଧନୁ ପୁଣି ସୀତା ଦେଖିବେ ନୟନେ ।

ଆଶିଷ କରୁଛି ଆହେ ଗୁଣଧାମ ରାମ,

 

 

ସେହି ମହାଧନୁ ଭାଙ୍ଗି ହୁଅ ପୂର୍ଣ୍ଣକାମ ।’’

ମୁନିଙ୍କ ବଚନ ଶୁଣି ଶ୍ରରାମ-ଲକ୍ଷ୍ମଣ

 

 

ତାଙ୍କ ସଙ୍ଗେ ମିଥିଳାକୁ ଚଳିଲେ ବହନ ।

ଲଙ୍ଘିଣ ବହୁତ ପଥ ସନ୍ଧ୍ୟାର ଆଗମେ

 

 

ବିଶ୍ରାମ କରିଲ ସର୍ବେ ଗୌତମ ଆଶ୍ରମେ ।

ଅହଲ୍ୟା ଗୌତମପତ୍ନୀ ଆହା ମହାପାପେ

 

 

ପାଷାଣ ପରାୟେ ପଡ଼ିଥିଲେ ପତିଶାପେ ।

ଦୟାର ସାଗର ରାମ ଅହଲ୍ୟା ଦୁର୍ଗତି

 

 

ଦେଖିଣ ହୋଇଲେ ହୃଦେ ବ୍ୟାକୁଳିତ ଅତି ।

ଶ୍ରୀରାମ ଚରଣେ ଆସି ପଡ଼ିଲା ସେ ନାରୀ ,

 

 

ପ୍ରବୋଧି କହିଲେ ରାମ ସର୍ବହିତକାରୀ ।

ଶ୍ରୀରାମଙ୍କ ଦୟା ଦେଖି ଅହଲ୍ୟା ହୃଦୟ

 

 

ସୁମରି ନିଜର ପାପ ସନ୍ତାପେ ଅଥୟ ।

ଅଶ୍ରୁଧାରା ନୟନରୁ ବହିଲା ସଘନେ ,

 

 

କେମନ୍ତେ ମୁଁ ଉଦ୍ଧରିବି, ବୋଲେ ମନେ ମନେ ।

ତାହାର ସନ୍ତାପ ଅନୁତାପ ଦରଶନେ

 

 

ବୋଇଲେ ଶ୍ରୀରାମ କୃପା-କୋମଳ ବଚନେ ।

‘ତବ ପାପ କ୍ଷମାକଲେ ପ୍ରଭୁ ଅନ୍ତର୍ଯ୍ୟାମୀ,

 

 

ଅଚିରେ ସେ ଦେବେ ଆଣି ତବ ପ୍ରାଣସ୍ୱାମୀ ।’’

ସତେ ସତେ ସେହି ବାଣୀ ହୋଇଲା ସଫଳ,

 

 

ମହାତ୍ମା ବଚନ କେଭେଁ ନୁହଇ ବିଫଳ ।

ପତ୍ନୀ ତେଜି ଗଉତମ ଥିଲେ ହିମାଚଳେ

 

 

ଅହଲ୍ୟା-ଉଦ୍ଧାର ବାର୍ତ୍ତା ଜାଣି ଯୋଗବଳେ ।

ନିଜର ଆଶ୍ରମେ ଆସି ମିଳିଲେ ବହନ;

 

 

ଅହଲ୍ୟା ନୟନଜଳେ ପତି ଶ୍ରୀଚରଣ ।

ପଖାଳି ଭକତିରେ ରହିଲେ ଅନାଇ,

 

 

ଭାଷିଲେ ଆଶିଷବାଣୀ ନିଜେ ପ୍ରାଣସାଇଁ ।

ଚାହୁଁ ଚାହୁଁ ଆଚମ୍ବିତେ ଦିବ୍ୟରୂପ ଧରି

 

 

ତନୁ ତେଜି ସ୍ୱର୍ଗେ ଗଲେ ଅହଲ୍ୟା ସୁନ୍ଦରୀ ।

ଅହଲ୍ୟା-ଉଦ୍ଧାର କଥା ମହାପୁଣ୍ୟମୟ

 

ଯେ ଶୁଣଇ ପାପୁଁ ଲଭଇ ଅଭୟ ।

ଇତିଶ୍ରୀ ଶ୍ରୀ ବାଳରାମାୟଣେ ବାଳକାଣ୍ଡେ

‘ଅହଲ୍ୟା-ଉଦ୍ଧାର’ ନାମ ଚତୁର୍ଥ ଅଧ୍ୟାୟ ।

Image

 

ପଞ୍ଚମ ଅଧ୍ୟାୟ

 

ଏଥୁଅନ୍ତେ ବିଶ୍ୱାମିତ୍ର ସଙ୍ଗେ ଦୁଇ ଭାଇ

 

 

ମିଥିଳା ନଗରେ ବେଗେ ପ୍ରବେଶିଲେ ଯାଇ ।

ବହୁତ ଆଦର କରି ମିଥିଳା ରାଜନ

 

 

ସେମାନଙ୍କୁ ଘେନିଗଲେ ନିଜର ଭବନ ।

ଶ୍ରୀରାମ-ଲକ୍ଷ୍ମଣେ ସର୍ବେ ପୁରବାସିଗଣ

 

 

ଅତି ଆନନ୍ଦିତ ହେଲେ କରି ଦରଶନ ।

ଯଜ୍ଞର ସଭାରେ ରାମ ସୀତା ପରସ୍ପରେ

 

 

ଶୁଭ କ୍ଷଣେ ଅଲକ୍ଷିତେ ଦେଖି ଆନନ୍ଦରେ,

ପରସ୍ପରେ ବରିଲେ ସେ ନିଜ ନିଜ ମନେ

 

 

ଆଶିଷିଲେ ଅନ୍ତ୍ରର୍ଯ୍ୟାମୀ ସେ ପୁଣ୍ୟ ବରଣେ ।

ସମାପ୍ତ ହୁଅନ୍ତେ ଯଜ୍ଞ ମହାମୁନିବର

 

 

ନିବେଦିଲେ ଜନକଙ୍କୁ ପାଇ ଅବସର-

‘‘ରଖିଛ ଯେ ହରଧନୁଚ ଏ ମିଥିଳାଧାମେ,

 

 

ଦେଖାଅ ଆଜି ହେ ତାହା ବୀରେନ୍ଦ୍ର ଶ୍ରୀରାମେ ।’’

ଜଣାଇଲେ ମୁନିବର ମିଥିଳା ନୃପତି,

 

 

‘‘କେମନ୍ତେ ଏ କାର୍ଯ୍ୟେ ମୁହିଁ ଦେବି ଅନୁମତି ?

 

 

 

 

ଯେଉଁ ଧନୁ ନ ପାରିଲେ ଟେକି ଧନୁର୍ଦ୍ଧର,

 

 

କେତେ କେତେ ମହାବାହୁ ମହାବୀରବର ।

କେମନ୍ତେ ଶ୍ରୀରାମଚନ୍ଦ୍ର ଏ ଅଳ୍ପ ବୟସେ

 

 

ଭାଙ୍ଗି ସେହି ହରଧନୁ ଅରଜିବେ ଯଶେ ।’

ବିଶ୍ୱାମିତ୍ର ବୋଲେ ‘‘ନୃପ,ଶୁଣ ମୋ ବଚନ,

 

 

ଦୈବବଳେ ବଳୀ ରାମ, ଆଣ ଶରାସନ ।’’

ମୁନିବାକ୍ୟ ମାନି ରାଜା ମହର୍ଷି ଜନକ

 

 

ଅଣାଇଲେ ହରଧନୁ ବିସ୍ମୟଜନକ ।

ରାଜସଭା ଭରି ବହୁ ନୃପଙ୍କୁ ବସାଇ

 

 

ଥୋଇଲେ ସେ ମହାଧନୁ ମିଥିଳାର ସାଇଁ ।

ମୁନିଙ୍କ ଇଙ୍ଗିତେ ସେହି ମହାଶରାସନ

 

 

ବାମକରେ ରାମଚନ୍ଦ୍ର କରିଲେ ଧାରଣ ।

ଅବହେଳେ ଯେ ଧନୁରେ ଚଢ଼ାଇଣ ଗୁଣ

 

 

ଟଙ୍କାରି ଟାଣନ୍ତେ ରାମ ବୀରେନ୍ଦ୍ର ନିପୁଣ,

ପ୍ରଚଣ୍ଡ ଶବଦେ ଭାଙ୍ଗିଗଲା ମହାଧନୁ,

 

 

ସକଳ ସଂଶୟ ଦୂରହେଲା ସୀତା ମନୁ ।

ରାଜର୍ଷି ଜନକ ତହୁଁ ସାନନ୍ଦ ଅନ୍ତରେ

 

 

ଦେଲେ ଶ୍ରୀଚନ୍ଦନ ଟିକା ରାମ-ଲଲାଟରେ ।

ବିନୟ ଟିଟାଉ ଲେଖି ଅଯୋଧ୍ୟା ନଗରେ

 

 

ରାଜା ଦଶରଥପାଶେ ପେଷିଲେ ସତ୍ୱରେ ।

ଲିହିଲେ ଚିଟାଉ ‘‘ଧନ୍ୟ ଅଯୋଧ୍ୟା-ଈଶ୍ୱର,

 

 

ଧନ୍ୟ ଧନ୍ୟ ମହାବୀର ଶ୍ରୀରାମପିଅର ।

ହରଧନୁ ଭାଙ୍ଗି ରାମ ଅଦ୍ଭୁତ କୌଶଳେ

 

 

ହେଲେ ଅଦ୍ୱିତୀୟ ବୀର ଭୁବନମଣ୍ଡଳେ ।

ଅର୍ପିବି ଜାନକୀ ସୀତା ଶ୍ରୀରାମଙ୍କ କରେ,

 

 

କୃପାକରି ଅନୁମତି ଦିଅ ଏ କିଙ୍କରେ ।

କୃପାକରି ବିଜେକର ଏ ମିଥିଳାପୁରେ,

 

 

ଏ ମାଗୁଣି, ମହାରାଜ, ତବ ଶ୍ରୀଛାମୁରେ ।’’

ଏ ବିନୟପତ୍ର ପଢ଼ି ଅଯୋଧ୍ୟା-ଈଶ୍ୱର,

 

 

ମହାନନ୍ଦେ ଯାତ୍ରାକଲେ ମିଥିଳା ନଗର ।

ଭରତ ଶତ୍ରୁଘ୍ନ ଘେନି ସେନା ଚତୁରଙ୍ଗ,

 

 

ଆଗେ ଆଗେ ଯାତ୍ରାକଲେ ପିତାଙ୍କର ସଙ୍ଗେ ।

ସୂର୍ଯ୍ୟକୁଳ-ପୁରୋହିତ ମହର୍ଷି ବଶିଷ୍ଠ

 

 

ପୁଣ୍ୟ ତେଜୋମୟ ସର୍ବଗୁଣରେ ଗରିଷ୍ଠ,

ଦଶରଥ ମୁନିବର ସଙ୍ଗେ ଯାତ୍ରାକଲେ ମୁନିବର,

 

 

ଉଚ୍ଚାରି ଗମ୍ଭୀରେ ପୁଣ୍ୟ ମଙ୍ଗଳ ମନ୍ତର ।

ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ଧନୁଭଙ୍ଗ’

ନାମ ପଞ୍ଚମ ଅଧ୍ୟାୟ ।

Image

 

ଷଷ୍ଠ ଅଧ୍ୟାୟ

 

ଉପନୀତ ହେଲେ ଦଶରଥ ମିଥିଳାରେ,

 

 

ତୋଷିଲେ ଜନକ ତାଙ୍କୁ ପୂଜା-ଉପଚାରେ ।

ବଶିଷ୍ଠଙ୍କୁ ଭକ୍ତିଭରେ ବନ୍ଦିଲେ ଜନକ,

 

 

ପରସ୍ପର ଦରଶନେ ଲଭିଲେ ପୁଲକ ।

ବିଶ୍ୱାମିତ୍ର ବଶିଷ୍ଠଙ୍କୁ କଲେ ଆଲିଙ୍ଗନ,

 

 

ଭୂବନବିଖ୍ୟାତ ଦୁହେଁ ମହାତପୋଧନ ।

ବଶିଷ୍ଠ କୌଶିକ ଦୁହେଁ ମିଳି ପରସ୍ପରେ

 

 

ବେନି କୁଳ ହିତକଥା ବିଚାରି ଅନ୍ତରେ ।

ବୋଇଲେ ଜନକେ, ‘‘ଶୁଣ ଆହେ ରାଜଋଷି,

 

 

କଥାଏ କହିବା ଆମ୍ଭେ ହେ ତତ୍ତ୍ୱଦରଶୀ ।

ଅଛନ୍ତି ଦୁହିତା ଚାରି ଗୃହରେ ତୁମ୍ଭର

 

 

ଦୁଇଟି ତୁମ୍ଭର, ଦୁଇ କୁଶଧ୍ୱଜଙ୍କର ।

ଦଶରଥଙ୍କର ମଧ୍ୟ ଚାରୋଟି କୁମାର,

 

 

ଚାରି କୁମାରୀଙ୍କି ଚାରି ପୁତ୍ରେ ଦାନ କର ।

ବିଧାତାର ଏ ନିର୍ବନ୍ଧ ଜାଣିଛ ଭୂପତି,

 

 

ବୀରେନ୍ଦ୍ର ଶ୍ରୀରାମ ହେବେ ସୀତାଙ୍କର ପତି ।

 

 

 

 

ତେସନ ବିଧାତା-ବିଧି, ଜାଣ ହେ ରାଜନ,

 

 

ଉର୍ମିଳାର ସ୍ୱାମୀ ହେବେ ସୁମିତ୍ରାନନ୍ଦନ ।

ତୁମ୍ଭର କନିଷ୍ଠ ଭ୍ରାତା କୁଶଧ୍ୱଜଙ୍କର

 

 

ଦୁହିତା ମାଣ୍ଡବୀ ହେବେ ପତ୍ନୀ ଭରତର ।

ଅନ୍ୟ କନ୍ୟା ଶ୍ରୁତକୀର୍ତ୍ତି ଦିଅ ଶତ୍ରୁଘନେ,

 

 

ଦୁଇ କୁଳ ଧନ୍ୟ ହେଉ ବିବାହ-ବନ୍ଧନେ ।’’

ଆନନ୍ଦେ ସ୍ୱୀକାର କଲେ ବିଦେହ-ଈଶ୍ୱର,

 

 

ତହୁଁ ମହୋତ୍ସବେ ମଗ୍ନ ମିଥିଳା ନଗର ।

ଚାରିଆଡ଼େ ସୁମଙ୍ଗଳ ଗୀତ ହୁଳହୁଳି

 

 

ନାନା ବାଦ୍ୟନାଦେ ପୁରୀ ପଡ଼ୁଛି ଉଛୁଳି ।

ଯଥାକାଳେ ଦଶରଥ ଘେନି ପୁତ୍ରଗଣେ

 

 

ଉପନୀତ ହେଲେ ଆସି ଜନକ-ଭବନେ ।

ଯଥାବିଧି ଶୁଭଲଗ୍ନେ ଜନକ ନୃପତି

 

 

କନ୍ୟାଦାନବ୍ରତେ ବ୍ରତୀ ହେଲେ ମହାମତି ।

ପଢ଼ିଲେ ବିବହା ମନ୍ତ୍ର ବଶିଷ୍ଠ ଗମ୍ଭୀରେ,

 

 

ରାଜର୍ଷି ଦୁହିତା ଦାନ କଲେ ସୁବିଧିରେ ।

ରାମେ ସମର୍ପିଲେ ସୀତା, ଉର୍ମିଳା ଲକ୍ଷ୍ମଣେ,

 

 

ମାଣ୍ଡବୀ ଭରତେ, ଶ୍ରୁତ-କୀର୍ତ୍ତି ଶତ୍ରୁଘନେ ।

ବହୁତ ଯୌତୁକ ଦାନ କଲେ କନ୍ୟାଗଣେ,

 

 

ସର୍ବଜନେ ତୋଷିଲେ ସେ ଅନ୍ନ-ବସ୍ତ୍ର-ଧନେ ।

ତହିଁ ଆରଦିନ ଦଶରଥ ନୃପବର

 

 

ସମ୍ବନ୍ଧିଙ୍କଠାରୁ ମାଗି ମେଲାଣି ସତ୍ୱର,

ଘେନି ପୁତ୍ର ପୁତ୍ରବଧୂ ପୁଣି ଅନୁଚରେ,

 

 

ବାହୁଡ଼ା ବିଜୟଯାତ୍ରା କଲେ ଆନନ୍ଦରେ ।

ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ଶ୍ରୀରାମ ବିବାହ’

ନାମ ଷଷ୍ଠ ଅଧ୍ୟାୟ ।

Image

 

ସପ୍ତମ ଅଧ୍ୟାୟ

 

ଏଥୁଅନ୍ତେ ମାର୍ଗମଧ୍ୟେ ଘଟିଲା ସଙ୍କଟ,

 

 

କାଳାନ୍ତକ ଯମ ପରି ଅତ୍ୟନ୍ତ ବିକଟ,

ବାଟ ଓଗାଳିଣ ଉଭା କ୍ଷତ୍ରିୟଙ୍କ ଅରି,

 

 

ପ୍ରଚଣ୍ଡ ପରଶୁରାମ ଧନୁଶର ଧରି ।

ସ୍କନ୍ଧରେ ପରଶୁ, ଶିରେ ମହାଜଟାଭାର,

 

 

କ୍ରୋଧାନଳେ ଜଳେ ଚକ୍ଷୁ ଭୀଷଣ ଆକାର ।

ଏକବିଂଶ ବାର କ୍ଷତ୍ର-ବଂଶନାଶକାରୀ,

 

 

ତେଣୁ କର୍ଣ୍ଣେ ଏକବିଂଶ ଅକ୍ଷମାଳାଧାରୀ ।

ମହାକ୍ରୋଧ ମହାଗର୍ବେ ସେ ପରଶୁରାମ

 

 

ରେରେକାର କରି ବୋଲେ, ‘‘ରେ କ୍ଷତ୍ରିୟ ରାମ,

ହରଧନୁ ଭାଙ୍ଗି ତୁହି ହୋଇଛୁ ଗର୍ବିତ,

 

 

ତୋ ଗର୍ବ ଭାଙ୍ଗିବାପାଇଁ ମୁହିଁ ଉପସ୍ଥିତ ।

ଜାଣିନାହୁଁ କି ରେ ମୂଢ଼, ଏକ-ବିଂଶ ବାର

 

 

ବିପୁଳ କ୍ଷତ୍ରିୟକୁଳ କଲି ମୁଁ ସଂସାର !

ଆଜି ମୋ ହାବୁଡ଼େ ଯେଣୁ ପଡ଼ିଛୁ ରେ ଭୀରୁ,

 

 

ତୋ ନାମ ଲିଭାଇଦେବି ଆଜି ପୃଥୀବୀରୁ ।

 

 

 

 

କ୍ଷତ୍ରିୟର ବୀର୍ଯ୍ୟ ବାରେ ଦେଖା ମୋ ଆଗରେ,

 

 

ଏ ମୋ ବିଷ୍ଣୁଧନୁ, ଗୁଣ ଚଢ଼ା ରେ ସତ୍ୱରେ ।’’

ଏହା କହି ବଢ଼ାଇଣ ଦେଲେ ଶରାସନ,

 

 

ଶ୍ରରାମ ନୀରବେ ତାହା କରିଲେ ଧାରଣ ।

ମୃଦୁମନ୍ଦ ହସି ମହାବୀର କ୍ଷଣକରେ

 

 

ଚଢ଼ାଇଣ ଗୁଣ ସେହି ବିଷ୍ଣୁକାର୍ମୁକରେ ।

ଶର ଯୋଖି ଟଙ୍କାରିଲେ ରାମ ରଘୁମଣି,

 

 

ଭାର୍ଗବର ଗର୍ବ ଖର୍ବ ହେଲା ସେହିକ୍ଷଣି ।

ନିସ୍ତେଜ ମଳିନ କ୍ଷଣେ ହେଲେ ପର୍ଶୁରାମ,

 

 

ତାହା ଦେଖି ରାମଚନ୍ଦ୍ର ସର୍ବଗୁଣଧାମ ।

ବିନୟେ ବୋଲନ୍ତି ନମି ଭାର୍ଗବ ଚରଣେ,

 

 

‘‘କ୍ଷମା କର ମୁନିବର, ଏ ମୋ ଆଚରଣେ ।’’

ଉତ୍ତରିଲେ ମୁନିବର, ‘‘କି ଦୋଷ ତୁମ୍ଭର ?

 

 

କ୍ଷତ୍ରଧର୍ମ ପାଳିଅଛ ଆହେ ବୀରବର !

ଏତେଦିନେ ଗର୍ବନାଶେ ଲଭିଲି ଚେତନା,

 

 

ଆଜିଠାରୁ କରିବି ମୁଁ ଶାନ୍ତିର ସାଧନା ।

ତୁମ୍ଭର ମଙ୍ଗଳ ହେଉ ଆହେ ବୀରବର,

 

 

ଧର୍ମଯୁଦ୍ଧେ ଜିଣି କ୍ଷିତି, ହୁଅ ହେ ଅମର ।’’

ଏହା କହି ଆଲିଙ୍ଗିଣ ରାମେ ସ୍ନେହଭରେ

 

 

ଚଳିଲେ ପରଶୁରାମ ମହେନ୍ଦ୍ର ଭୂଧରେ ।

ଜମଦଗ୍ନିସୁତ ଯହୁଁ କରିଲେ ଗମନ,

 

 

ବନ୍ଦିଲେ ଶ୍ରୀରାମ ବୀର ପିତାଙ୍କ ଚରଣ ।

ଶ୍ରୀରାମ ମସ୍ତକ ଚୁମ୍ବି ରାଜା ଦଶରଥ,

 

 

ସୈନ୍ୟସାମନ୍ତଙ୍କୁ ଆଜ୍ଞା କଲେ, ଚଳ ପଥ ।

ଏଥୁଅନ୍ତେ ଦଳବଳ ଘେନି ଆନନ୍ଦରେ

 

 

ପ୍ରବେଶିଲେ ମହାରାଜ ନିଜର ନଗରେ ।

ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ

‘ପରଶୁରାମ-ପରାଜୟ’ ନାମ ସନ୍ତମ ଅଧ୍ୟାୟ

Image

 

ଅଷ୍ଟମ ଅଧ୍ୟାୟ

 

ମହାମହୋତ୍ସବ ଲାଗିଗଲା ଅଯୋଧ୍ୟାରେ,

 

 

ସୁଶୋଭିତ ହେଲା ପୁରୀ ବିବିଧ ପ୍ରକାରେ ।

ଅସଂଖ୍ୟ ପରଜାବୃନ୍ଦ ମାତି ସେ ଉତ୍ସବେ

 

 

ପୂରିଲେ ଅଯୋଧ୍ୟା-ଦାଣ୍ଡ ଜୟ ଜୟ ରବେ ।

କଲେ ସର୍ବ ନରନାରୀ ମଙ୍ଗଳାଚରଣ,

 

 

ସ୍ୱସ୍ତିମନ୍ତ୍ର ଉଚ୍ଚାରିଲେ ପୁରୋହିତଗଣ ।

ବନ୍ଦାପନା ହୁଳହୁଳି ଶୁଭ ଶଙ୍ଖଧ୍ୱନି

 

 

ମଙ୍ଗଳବାଦ୍ୟର ଘୋଷେ ପୂରିଲା ଅବନୀ ।

ବର ବଧୂ ଗୁରୁଜନେ ବନ୍ଦି ଭକ୍ତିଭରେ

 

 

ପ୍ରବେଶିଲେ ମହାନନ୍ଦେ ଶ୍ରୀରାଜନବରେ ।

କୌଶଲ୍ୟା ସୁମିତ୍ରା ଆଉ କୈକେୟୀ ସୁନ୍ଦରୀ

 

 

ରାଣୀଏ ଆନନ୍ଦେ ବର-ବଧୂ ନେଲେ ବରି ।

ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ

 

‘ନବ ବରବଧୂ-ସଂବାଦ’ ନାମ ଅଷ୍ଟମ ଅଧ୍ୟାୟ ।

 

Image

 

ନବମ ଅଧ୍ୟାୟ

 

ଏଥୁଅନ୍ତେ ପୃଥାଜିତ ଭରତଙ୍କ ମାମୁ

 

 

ଜଣାଇଲେ ଦଶରଥ ରାଜାଙ୍କର ଛାମୁ ;

‘‘ଆସିଛି ମୁଁ ଭରତଙ୍କୁ ସଙ୍ଗେ ନେବାପାଇଁ,

 

 

ମେଲାଣି ଦିଅ ହେ ଏବେ ଅଯୋଧ୍ୟାର ସାଇଁ ।’’

ଭରତ-ଶତ୍ରୁଘ୍ନେ ରାଇ ବୃଦ୍ଧ ନରପତି

 

 

ମାମୁଘର ଯିବାପାଇଁ ଦେଲେ ଅନୁମତି ।

ଭରତ ଶତ୍ରୁଘ୍ନ ବନ୍ଦି ସର୍ବଗୁରୁଜନେ

 

 

ଚଳିଲେ ମାମୁଙ୍କ ସଙ୍ଗେ ଆନନ୍ଦିତ ମନେ ।

ଭରତ ମାତୁଳ ଗୃହେ କରନ୍ତେ ଗମନ

 

 

ପିତୃସେବାରତ ହେଲେ ଶ୍ରୀରାମ ଲକ୍ଷ୍ମଣ ।

ପିତାଙ୍କ ଆଦେଶମତେ ରାଜକାର୍ଯ୍ୟମାନ

 

 

ଆଲୋଚନା କଲେ ରାମ ସର୍ବଗୁଣବାନ ।

ବଳବୀର୍ଯ୍ୟେ ଇନ୍ଦ୍ରସମ ଜ୍ଞାନେ ବୃହସ୍ପତି

 

 

ସାଧିଲେ ପ୍ରଜାଙ୍କ ହିତ ଶ୍ରୀରାମ ସୁମତି ।

ତାହାଙ୍କର ପୁଣ୍ୟ ଯଶ ବ୍ୟାପିଲା ଭୁବନ

 

 

ଜୟ ଜୟ ରାମଚନ୍ଦ୍ର ବୋଲେ ସର୍ବଜନ ।

 

 

ଇତି ଶ୍ରୀ ବାଳାରାମାୟଣେ ବାଳକାଣ୍ଡେ

 

‘ଭରତ ମାତୁଳାଳୟ-ଗମନ’ ନାମ ନବମ ଅଧ୍ୟାୟ ।

 

 

ଇତି ବାଳକାଣ୍ଡ ସମାପ୍ତ ।

 

Image

 

ଅଯୋଧ୍ୟା କାଣ୍ଡ

 

ଏଥୁଅନ୍ତେ ମନେ ମନେ ଦିନେ ନରପତି

 

 

ବିଚାରିଲେ, ହେଲିଣି ତ ମୁହିଁ ବୃଦ୍ଧ ଅତି ।

ଜ୍ୟେଷ୍ଠପୁତ୍ର ମୋର ରାମ ସର୍ବଗୁଣଧାମ,

 

 

ରାଜ୍ୟଭାର ଦେଇ ତାକୁ ଲଭିବି ବିଶ୍ରାମ ।

ହୃଦୟେ ମନାସି ଏହି ଶୁଭ ମନୋରଥ

 

 

ଡକାଇଲେ ମହାସଭା ରାଜା ଦଶରଥ ।

ଚାର ପେଶି ଚଉଦିଗେ ନୃପତିନିକରେ

 

 

ଅଣାଇଲେ ଦଶରଥ ଅଯୋଧ୍ୟା ନଗରେ ।

ଦିଆଇଲେ ଘୋଷଣା ସେ ସୂର୍ବ ପ୍ରଜାଗଣେ,

 

 

ଆନନ୍ଦେ ମିଳିଲେ ସର୍ବେ ରାଜା-ନିମନ୍ତ୍ରଣେ ।

ଯଥାବିଧି ସମସ୍ତଙ୍କୁ କରି ସମାଦର

 

 

ବସାଇଲେ ମହାସଭା ବୃଦ୍ଧ ନୃପବର ।

ରତ୍ନସିଂହାସନେ ବସି ସେ ମହାସଭାରେ

 

 

ଭାଷିଲେ ‘‘ମୁଁ ବୃଦ୍ଧ ଅତି, ଏହି ରାଜ୍ୟଭାରେ ।

ସମର୍ପିବି ଜ୍ୟେଷ୍ଠପୁତ୍ର ଶ୍ରରାମଙ୍କ କରେ ;

 

 

ଅନୁମତି ଦିଅ ସର୍ବେ ଏ ସଭା ମଧ୍ୟରେ ।

 

 

 

 

ରାଜାଙ୍କର ବାଣୀ ଶୁଣି ସର୍ବେ ଆନନ୍ଦରେ

 

 

କରଯୋଡ଼ି ଜଣଇଲେ ମହାଭକ୍ତିଭରେ-

‘‘ଜୟ ଜୟ ମହାରାଜ ରଘୁକୁଳପତି,

 

 

ଧନ୍ୟ ଧନ୍ୟ ନରାନାଥ ତୁମ୍ଭର ଯୁକତି ।

ଭୋ ଦେବ, କରୁଣାମୟ ପ୍ରଜାହିତେ ରତ

 

 

ବିଚାରିଛି ଯାହା, ତାହା ସର୍ବ-ସନମତ ।

ସର୍ବଗୁଣଧାମ ରାମଚନ୍ଦ୍ର ମହାମତି

 

 

ସର୍ବଗୁଣେ ନିରେୁପମ ପ୍ରଭୁ ସୀତାପତି ।

ବୀରଶିରୋମଣି ରାମ ଦୟାର ସାଗର

 

 

ଏ ସଂସାରେ କାହିଁ ପ୍ରଭୁ ତାଙ୍କ ପଟାନ୍ତର ।

କୌଶଲ୍ୟାନନ୍ଦନ ବିଶ୍ୱ-ଆନନ୍ଦ-ବର୍ଦ୍ଧନ

 

 

ସର୍ବହୃଦ ଅଭିରାମ ରାମ ଯଶୋଧନ ।

ପାଳିବେ ପରଜା ଘେନି ସାମ୍ରାଜ୍ୟର ଭାର,

 

 

ଏଥୁ ବଳି କାହିଁ ଆଉ ସୁଖ ସମାଚାର ।

ଭୋ ଦେବ, ଦିଅନ୍ତୁ ରାମେ ରାଜସିଂହାସନ,

 

 

ଭୁଞ୍ଜନ୍ତୁ ବିଶ୍ରାମ ସୁଖ ଏବେ ହେ ରାଜନ ।’’

ସଭାଜନଙ୍କର କଥା ଶୁଣି ମହୀପତି

 

 

ରାଜା ଦଶରଥ ହେଲେ ଆନନ୍ଦତିତ ଅତି ।

ସେହିକ୍ଷଣି ସଭାସ୍ଥଳେ କରିଣ ମନ୍ତ୍ରଣା

 

 

‘କାଲି ରାମ ରାଜା ହେବେ’ ଦେଲେ ସେ ଘୋଷଣା ।

ଏ ସନ୍ଦେଶ ସର୍ବଦେଶ ବ୍ୟାପିଗଲା କ୍ଷଣେ,

 

 

ଆନନ୍ଦେ ମାତିଲେ ସର୍ବେ ପୁରବାସୀ ଜନେ ।

ସର୍ବତ୍ର ଉତ୍ସବ କଥା ସର୍ବଜନ ମୁଖେ,

 

 

ରାମଗୁଣ ଗାଉଛନ୍ତି ସର୍ବେ ମହାସୁଖେ ।

ନଗ୍ରଯାକ ଲାଗିଗଲା ଉତ୍ସବ ମଣ୍ଡଣି,

 

 

ଚୌଦିଗେ ଶୁଭିଲା ମହା ଶୁଭବାଦ୍ୟଧ୍ୱନି ।

ଦ୍ୱାରେ ଦ୍ୱାରେ ବିରାଜିଲା ମଙ୍ଗଳକଳସ,

 

 

ଉଡ଼ିଲା ପତାକାମଳା ବଢ଼ାଇ ହରଷ ।

ରାଜନବରର ଶୋଭା କେ ପାରିବ କହି,

 

 

ବୈଜୟନ୍ତୀଧାମ ସମ ଅଯୋଧ୍ୟା ଶୋଭଇ ।

ଏଥୁ ଅନ୍ତେ ନରରାଣ ସୁମନ୍ତକୁ ରାଇ

 

 

ବୋଇଲେ ‘‘ଶ୍ରରାମେ ବେଗେ ଆଣ ତୁମ୍ଭେ ଯାଇ ।’’

ସୁମନ୍ତ ସଙ୍ଗତେ ରାମ ଆସିଣ ବହନ

 

 

ବନ୍ଦିଲେ ଭକତିଭରେ ପିତାଙ୍କ ଚରଣ ।

ଆଲିଙ୍ଗି ଆଦରେ ରାମେ ନିକଟେ ବସାଇ

 

 

କହନ୍ତି ବଚନ ଦଶରଥ ନରସାଇଁ-

‘‘ପ୍ରାଣର ନନ୍ଦନ ରାମ ମୋ ହୃଦଚନ୍ଦନ,

 

 

ତବ ଗୁଣେ ପରିତୁଷ୍ଟ ନିଖିଳ ଭୁବନ ।

 

 

ଅଭିଳାଷ ମୋର ଏହି ବୃଦ୍ଧ ବୟସରେ

 

 

ନିବେଶିବି ଏବେ ରାଜଲକ୍ଷ୍ମୀ ତୁମ୍ଭ କରେ ।

ଯୌବରାଜ୍ୟେ କାଲି ହେବ ଅଭିଷେକ ତବ,

 

 

ଅଭିଷେକବ୍ରତେ ଦୀକ୍ଷା ଘେନ ହେ ରାଘବ !

ସୀତା ସଙ୍ଗେ ଘେନ ଦୀକ୍ଷା ପବିତ୍ର ମାନସେ,

 

 

ରଘୁକୁଳ ଧନ୍ୟ ହେଉ ତବ ପୁଣ୍ୟ ଯଶେ ।

ଆଶିଷ କରଇ ମୁହିଁ, ଧର୍ମେ ରକ୍ଷାକରି

 

 

ଧର୍ମର ଆଶ୍ରୟେ ରହ ଦିବସ ଶର୍ବରୀ ।’’

ପିତାଙ୍କ ଚରଣୁ ରାମ ଘେନିଣ ମେଲାଣି

 

 

ଜନନୀ ଚରଣ ବନ୍ଦି ବୋଇଲେ ସେ ବାଣୀ ।

‘‘ଆଜ୍ଞା କରିଛନ୍ତି ପିତା କାଲି ପ୍ରଭାତରେ

 

 

କରାଇବେ ଅଭିଷେକ ମୋତେ ରାଜତ୍ୱରେ ।

ଜାନକୀ ସଙ୍ଗତେ ଆଜି ବ୍ରତ-ଉପବାସେ

 

 

ଦୀକ୍ଷା ଘେନିବାକୁ ହେବ ବଶିଷ୍ଠଙ୍କ ପାଶେ ।’’

ଶ୍ରୀରାମଜନନୀ ଶୁଣି ଏ ଶୁଭ ବଚନେ

 

 

ମହାନନ୍ଦେ ଆଶିଷିଲେ ପ୍ରାଣାର ନନ୍ଦନେ ।

ଏଥୁଅନ୍ତେ ରାମ ସୀତା ପୁଣ୍ୟ ଅଧିବାସେ

 

 

ଘେନିଲେ ପବିତ୍ର ଦୀକ୍ଷା ବଶିଷ୍ଠଙ୍କ ପାଶେ ।

 

 

ଗୁରୁଦେବ ବଶିଷ୍ଠଙ୍କ ପୁଣ୍ୟ ଉପଦେଶେ

 

 

ରାତ୍ରି ଜାଗରଣ କରି ପୂଜିଲେ ମହେଶେ ।

ପୁଣ୍ୟ ଉଷାକାଳେ ସାରି ମାଙ୍ଗଳିକ ସ୍ନାନ

 

 

ପବିତ୍ର ଗାୟତ୍ରୀ ଜପି କଲେ ବ୍ରହ୍ମଧ୍ୟାନ ।

Image